ଆମ ଗୋ ଆଧାରିତ କୃଷି- 016 ଧାନର ରୋଗ ପୋକ ପରିଚାଳନା ସଂପର୍କରେ

 *ଆମ ଗୋ ଆଧାରିତ କୃଷି- 016*



_ଧାନର ରୋଗ ପୋକ ପରିଚାଳନା ସଂପର୍କରେ କେତେକ ଜାଣିବା କଥା ।_


ଆମେ ଯେଉଁମାନେ ମୁଖ୍ୟତଃ ଭାତ ଖାଉ ବା ଆମର ଯେଉଁ ଅଞ୍ଚଳମାନଂକରେ ଧାନ ଚାଷ ହୁଏ , ଆମ ପାଇଁ ଧାନ ବା ଚାଉଳ ଏକ ପବିତ୍ର ଜିନିଷ । ଖାଲି ଖାଦ୍ୟ ହିସାବରେ ନୁହେଁ , ଜୀବନରେ ପ୍ରତିଦିନ ଏହା ଏତେ କାମରେ ଲାଗେ ଯେ ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଜଙ୍ଗଲରୁ ଖୋଜି ଖୋଜି ମଣିଷ ଧାନର ଜଙ୍ଗଲୀ ଗଛରୁ ବାଛି ତାକୁ ଶହ ଶହ ବର୍ଷ ଧରି ଚାଷ କରିବାପରେ ଆମେ ବର୍ତ୍ତମାନର ଧାନର ରୂପ ଦେଖୁଛେ । ଗୋଟିଏ ଯୋଡ଼ିଏ ନୁହେଁ ହଜାର ହଜାର ପ୍ରକାରର ଧାନର ଚାଷ ହେଉଥିଲା । ଲୋକେ ବାଛି ବାଛି ଧାନର ଗୁଣ ଅନୁଯାୟୀ ଚାଷ କରୁଥିଲେ , ଚାଷ କରିବା ଭିତରେ ଫସଲ ନଷ୍ଟ କରୁଥିବା ରୋଗ ପୋକମାନଂକୁ ଚିହ୍ନଟ କରିଥିଲେ । ତାଂକୁ ଆୟତ୍ତ କରିବାକୁ ଉପାୟମାନ ମଧ୍ୟ ଖୋଜିଥିଲେ । ଏଇ କେତେବର୍ଷ ଭିତରେ ଲୋକଙ୍କ ଭିତରୁ ଦେଶୀ ଧାନ ସହିତ ରୋଗ ପୋକଙ୍କୁ ଆୟତ୍ତରେ ରଖୁବାର ଦେଶୀ କୌଶଳ ଗୁଡ଼ିକ ଉଭେଇ ଗଲା । ନୂଆ ଧାନ ସହିତ , ନୂଆ ସମସ୍ୟାମାନ ଆସିଲା । କିନ୍ତୁ ରୋଗ ପୋକଙ୍କୁ ଆୟତ୍ତ କରିବାର ଉପାୟ ଆଉ ନିଜ ହାତରେ ରହିଲା ନାହିଁ । ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଲା । ସେଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା । ବିଷ , ଜହର ବ୍ୟବହାର କରି ଖାଲି ମାଟି , ପାଣି , ପବନ ଦୂଷିତ ହେଲାନି , ଜୀବଜନ୍ତୁ ମଲେ , ଖର୍ଚ୍ଚ ବଢ଼ିଲା , ମଣିଷ ନିଜେ ବି ସାଂଘାତିକ ରୋଗରେ ପଡ଼ି ଛଟପଟ ହେଲା ଓ ମରିଲା ।


ଏସବୁ ସତ୍ତ୍ୱେ ସେଇ ଛୋଟ ଛୋଟ ପୋକମାନ କୁ ବା ଜୀବାଣୁମାନଂକୁ ଆମେ ବିଷ ଦେଇ ବଂଶ ବୁଡ଼େଇବାର ଯେଉଁ ଉପାୟ ଖଞ୍ଜି ଖୁସି ହେଉଥିଲେ , ସେମାନେ କିନ୍ତୁ ଲଢ଼େଇରେ ଜିତିଗଲେ । ତାଂକୁ ଆମେ ପାରିପାରିଲେନି । ଆମ ବୁଦ୍ଧି କେତେ ଜଣାପଡ଼ିସାରିଲାଣି । ଏତେ କଷ୍ଟ କରି ଧାନ ଫସଲ କଲାବେଳେ ସେମାନେ ଯେତେବେଳେ ଖାଇ ନଷ୍ଟ କରୁଛନ୍ତି , ଆମେ ତ ତୁପ୍ ରହିପାରିବାନି । ତେଣୁ ସେମାନଂକଠାରୁ ପରିବେଶର କ୍ଷତି ନକରି କେମିତି ଆମ ଧାନ ଫସଲର ସୁରକ୍ଷା କରିପାରିବା , ସେମିତି କେତେକ ଜୈବିକ ଉପାୟ ବିଷୟରେ ଜାଣିବା । ବ୍ୟସ୍ତ ହୁଅନ୍ତୁନି । ଯେଉଁ ପ୍ରକୃତି ମାଅ ଆମକୁ ରୋଗ ପୋକ ଦେଇଛି , ସେ ଆମ ଚାରି ପାଖରେ ଓଷଦ ପତ୍ର ବି ଥୋଇ ଦେଇଛି । ଆପଣଙ୍କୁ କିନ୍ତୁ ବଇଦ ହେବାକୁ ପଡ଼ିବ । ଏହି ପଦ୍ଧତିଗୁଡ଼ିକ ଅନେକ ଜାଗାରେ ଅନେକ ଚାଷୀ ଓ ବୈଜ୍ଞାନିକମାନେ ପ୍ରୟୋଗ କରି ସୁଫଳ ପାଇଛନ୍ତି । ଆପଣ ବି ଚାହିଁଲେ ଏହି ଜ୍ଞାନକୌଶଳରୁ କିଛି ବ୍ୟବହାର କରିପାରିବେ ।


 ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ :👇


👉 ଜମିରେ ପ୍ରଚୁର ପରିମାଣର ଜୈବିକ ସାର ପ୍ରୟୋଗ କରନ୍ତୁ । ମାଟି ସୁସ୍ଥ ରହିଲେ , ଫସଲ ସୁସ୍ଥ ରହେ ଓ ସୁସ୍ଥ ଫସଲରେ ରୋଗ ପୋକ ହେବାର ସଂଭାବନା କମ୍ ଥାଏ । ଯେତେ ରାସାୟନିକ ୟୁରିଆ ଦେବେ , ସେତେ ଅଧିକ ପାଣି ଦେବା ଦରକାର ହୁଏ । ଉଭୟ ପାଣି ଓ ୟୁରିଅ ମିଶି ଗଛର ନିଜ ରୋଗପୋକ ପ୍ରତିରୋଧକ ଶକ୍ତି କମାଇ ଦିଅନ୍ତି । ଫଳରେ ଗଛ ଦୁର୍ବଳ ହୁଏ । ସୁନ୍ଦର ଚେହେରା ଦେଖାଯାଉଥିଲେ ମଧ୍ୟ ଗଛମାନେ ଭିତରୁ ଦୁର୍ବଳ ଥାଆନ୍ତି ଓ ଦୁର୍ବଳ ଗଛକୁ ରୋଗପୋକ ଶୀଘ୍ର ଆକ୍ରମଣ କରନ୍ତି । ତେଣୁ ରାସାୟନିକ ୟୁରିଆ ଓ ଅଧିକ ପାଣି ଅଧିକ କ୍ଷତି କରେ ।


👉 ସୁସ୍ଥ ବିହନ ବ୍ୟବହାର କରନ୍ତୁ । କେବଳ ହାଇ - ଇଲଡ଼ିଙ୍ଗ ବା ହାଇବ୍ରିଡ୍ ଯେ ଭଲ ବିହନ ତାହା ଭୁଲ ଧାରଣା । ଆମର ଦେଶୀ ବିହନକୁ ଠିକ୍ ଗଛରୁ ବାଛି ଠିକ୍ ଭାବରେ ସାଇତି ରଖିଲେ ମଧ୍ୟ ତାହା ଭଲ ବିହନ ହୋଇଥାଏ । ଦୁର୍ବଳ ବିହନରୁ ଦୁର୍ବଳ ଗଛ ହୁଏ । ରୋଗଣା ବିହନରେ ବିହନ ବାହିତ ରୋଗ ହେବାର ସଂଭାବନା ଅଧିକ ଥାଏ । ତେଣୁ ଭଲ ବିହନ ବ୍ୟବହାର କରିଥିଲେ , ରୋଗ ପୋକ ଆଶଂକା ଅଧା କମିଯାଏ । ପ୍ରତିରୋଧକ ଶକ୍ତି ଥିବା ବିହନ ମଧ୍ୟ ଲଗାଇବା ଭଲ । ବିହନ ବିଶୋଧନ ବା ଉପଚାର କରି ଲଗାଇଲେ ଭଲ ।


👉 ଜମିରେ ଅଧୁକା ପାଣି ଜମାଇ ରଖନ୍ତୁ ନାହିଁ । ଧାନ ଜମିର ମାଟି ଓଦା ରହିଲେ ହିଁ ଯଥେଷ୍ଟ । ଅତି ଅଧିକା ପାଣି ଜମାଇ ରଖୁଲେ ଫିମ୍ପି ଜନିତ ରୋଗ , ଜୀବାଣୁ ଓ ଭୁତାଣୁ ଜନିତ ରୋଗ ହେବା ସାଂଗରେ କେତେକ ପୋକ ମଧ୍ୟ ଅଧିକ ହୁଅନ୍ତି । କିଛି ଦିନ ( ୨ - ୪ ଦିନ ) ପାଣି ରଖି କିଛି ଦିନ ( ୨ - ୪ ଦିନ ) ଶୁଖାଇଲେ ଭଲ ।


👉 ଗଛକୁ ଗଛ ଅତି ପାଖରେ ଗହଳିଆ କରି ରୁଅନ୍ତୁ ନାହିଁ । ଏମିତି କଲେ ରୋଗ ପୋକ ଅଧିକ ହୁଏ । ଶ୍ରୀ ପଦ୍ଧତିରେ ଯେହେତୁ ଯଥେଷ୍ଟ ଛାଡ଼ି ଛାଡ଼ି ଗଛ ଗୋଟିକିଆ ରୁଆ ହୁଏ , ସେଥିପାଇଁ ସେଥିରେ ରୋଗପୋକ କମ୍ ହୁଅନ୍ତି । ଯଥେଷ୍ଟ ଖାଦ୍ୟ , ଆବଶ୍ୟକ ପାଣି , ପ୍ରଚୁର ସୂର୍ଯ୍ୟକିରଣ ଓ ବାୟୁ ଚଳାଚଳ ଯୋଗୁଁ ରୋଗପୋକ କମ୍ ହୁଏ ।


👉 ଏକା ପ୍ରକାରର ବିହନ ଗୋଟିଏ ଜମିରେ ସବୁ ବର୍ଷ ଲଗାନ୍ତୁ ନାହିଁ । ଜମିର ଗୁଣ ଅନୁଯାୟୀ ବିହନ ବାଛନ୍ତୁ ।


👉  ଖରାଟିଆ ଚାଷ କରିବା ଦ୍ବାରା ମାଟି ଭିତରେ ଥିବା ପୋକମାନେ , ତାଙ୍କ ଅଂଡ଼ା ଓ ତାଙ୍କ ପିଲାମାନେ ବାହାରକୁ ବାହାରି ଆସନ୍ତି । ଖରାରେ ତ କିଛି ମରିଯାଆନ୍ତି । ତା ’ ବ୍ୟତୀତ ହଳ ହେଉଥିବା ସମୟରେ ବଣି , କାଉ , ବଗ , କଜଳପାତି , ମାଛରଂକା , ଭଦଳିଆ , ଡାହୁକ ଇତ୍ୟାଦି ପକ୍ଷୀମାନେ ପୋକମାନଂକୁ ବହୁତ ପରିମାଣରେ ଖାଇ ଦିଅନ୍ତି ।


👉 ଆଗୁଆ ବୁଣା , ଆଗୁଆ ରୁଆ ମଧ୍ୟ ଗଛମାନଂକର ରୋଗ ପୋକ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।


👉 ପ୍ରତ୍ୟେକ ଦିନ ଜମିକୁ ଯାଇ ଗଛମାନଂକୁ ଭଲ ଭାବରେ ଚାରି ପାଖରୁ ଦେଖନ୍ତୁ । ଯଦି ରୋଗପୋକ ଆରମ୍ଭ ହେଉଥାଏ , ତା ’ ହେଲେ ସାଂଗେ ସାଂଗେ ଜାଣିପାରିବେ ଓ ସେଥୂପାଇଁ ପ୍ରତିକାର ବ୍ୟବସ୍ଥା କରିବେ । ନଚେତ୍ ବିଳମ୍ୱ ହୋଇଗଲେ କ୍ଷତି ପରିମାଣ ବଢ଼ିଯାଏ ।


👉 ଭଲ ଭାବରେ ସଢ଼ିଥିବା କମ୍ପୋଷ୍ଟ ହିଁ ବ୍ୟବହାର କରନ୍ତୁ । ଅଧାସଢ଼ା କମ୍ପୋଷ୍ଟ ବ୍ୟବହାର କଲେ ରୋଗ ପୋକ ଅଧିକା ହେବାର ସମ୍ଭାବନା ବଢ଼ିଯାଏ ।



Comments

Popular posts from this blog

002 ଜୈବିକ ଚାଷ

001 କିପରି କରିବେ ସଜନା ଚାଷ

003 କାଲି ହଳଦୀ