ଆମ କୃଷି 🌱ଭାଗ - ୨
*🌾🌱ଆମ ଗୋ ଆଧାରିତ କୃଷି 🌱ଭାଗ - ୨*🌾🌱
ଆଜିର ଗୋ ଆଧାରିତ କୃଷିର ଦ୍ଵିତୀୟ ଭାଗରେ ଆପଣଙ୍କ ପାଇଁ ରହିଛି...
👉 *କେମିତି ପ୍ରକାର କୃଷି କଲେ ପରିବେଶ ସୁରକ୍ଷା ହେଇଥାଏ?*
କୃଷକକୁ ଅନ୍ନଦାତା ଏଇଥିପାଇଁ କୁହାଯାଏ କାରଣ ସେ ଯେ କେବଳ ମଣିଷମାନଙ୍କର ପେଟ ପୋଷେ ତାହା ନୁହେଁ ଅସଂଖ୍ୟ ଜୀବ ଜନ୍ତୁମାନଙ୍କ ପେଟରେ ଦାନା ଯୋଗାଏ l କେତେ ଜୀବ ଅପେକ୍ଷା କରିଥାନ୍ତି ସେଇ ଅମଳ ସମୟକୁ... କେତେବେଳେ ଶସ୍ୟ ପାଚିବ ଆଉ ସେମାନେ ଅଳ୍ପ ଟିକେ ଖାଇପାରିବେ କୃଷକର ଝାଳବୁହା ପରିଶ୍ରମରୁ ଅର୍ଜିତ ଫସଲକୁ l ପୂର୍ବ କାଳରେ କୃଷି ଯେତେବେଳେ ସମ୍ପୂର୍ଣ ରୂପେ ବ୍ୟବସାୟ ହୋଇନଥିଲା ସେତେବେଳେ କୃଷି କାର୍ଯ୍ୟରୁ କୃଷକକୁ ପ୍ରବଳ ସନ୍ତୋଷ ପ୍ରାପ୍ତ ହେଉଥିଲା l ଲୋକଙ୍କୁ ଏକଥା ମଧ୍ୟ ଜଣା ଥିଲା କି ତାଙ୍କ ଫସଲ କିଛି ମୂଷା ଖାଉଛନ୍ତି, କିଛି ମାଟିରେ ରହୁଥିବା ଜୀବ ଖାଉଛନ୍ତି, କିଛି ଆକାଶଚର ପକ୍ଷୀ ଖାଉଛନ୍ତି ଆଉ କିଛି ଜଙ୍ଗଲୀଜନ୍ତୁ ଖାଉଛନ୍ତି l ମାଟି, ଜଳ, ପବନ, ଆକାଶ ଉପରେ ତ ସମସ୍ତଙ୍କର ଅଧିକାର ଅଛି କେବଳ ମଣିଷର ଏକା ନୁହେଁ ନା... କେବଳ ସେଇ ଅଧିକାର ବଳରେ ଏହି ସବୁ ଜୀବଜନ୍ତୁ ମଧ୍ୟ କୃଷକର ଅମଳ ହେଉଥିବା ଜିନିଷ ଖାଆନ୍ତି l କେବଳ ଖାଆନ୍ତି ନା କୃଷକକୁ କିଛି ଦିଅନ୍ତି ମଧ୍ୟ?? ଆଜ୍ଞାମାନେ ଏହି ପ୍ରକୃତିର ନିୟମରେ ସମସ୍ତେ ବନ୍ଧା ଯେ ଯେମିତି କାମ କରିବ ତାକୁ ସେମିତି ଫଳ ମିଳିବ l ଯେଉଁ ଜୀବଜନ୍ତୁ ନିଜ ଭାଗ ଜାଣି କୃଷକର ଫସଲ ଖାଇ ଦିଅନ୍ତି ସେମାନେ ପ୍ରତିବଦଳରେ କୃଷକ ପରିବାରକୁ ବହୁତ ଶୁଭେଚ୍ଛା ପଠାନ୍ତି ସେଥିପାଇଁ ତ କୃଷକର ମନ ସବୁବେଳେ ପ୍ରଫୁଲ୍ଲିତ ଜଣା ପଡ଼େ l ଆପଣମାନେ କୁହନ୍ତୁ ଏହି ଖୁସି ବା ସନ୍ତୋଷର କିଛି ମୂଲ୍ୟ ଅଛି କି? ଆମେ କେବେବି କିଣିପାରିବା ନାହିଁ ଆତ୍ମସନ୍ତୋଷ ଭଳି ଜିନିଷକୁ, କାହିଁକି ନା ଆତ୍ମସନ୍ତୋଷକୁ କେବେବି କେହି ପଇସା ଦ୍ୱାରା କିଣିପାରିବେ ନାହିଁ l ବହୁତ ଜୀବ ଯେପରିକି ଉପକାରୀ କୀଟ ପତଙ୍ଗ, ବୁଢ଼ିଆଣୀ, ଜିଆ, ସାପ, ଏଣ୍ଡୁଅ, ପକ୍ଷୀଗଣ କୃଷକକୁ ଅପ୍ରତ୍ୟକ୍ଷ ରୂପରେ ଅନେକ ପ୍ରକାରେ ସାହାଯ୍ୟ କରିଥାନ୍ତି l
ଯେଉଁ କୀଟର ଅଧିକ ବଡ଼ ଆଣ୍ଟିନା ସିଏ ସେତିକି ଉପକାରୀ କୃଷକ ପାଇଁ କାରଣ ସେ ଅନ୍ୟ ଅନିଷ୍ଟକାରୀ କୀଟମାନଙ୍କର ଅଣ୍ଡା ଓ ପ୍ୟୁପା ବା ଛୋଟ କୀଟସବୁଙ୍କୁ ଖାଇଦିଅନ୍ତି l କୃଷିରେ ମଧ୍ୟ ଆମିଶାଷୀ ଓ ନିରାମିଶାଷୀ କୀଟ ସବୁ ଥାଆନ୍ତି l ଆମେ ନିରାମିଷାଶୀ ହେବା ଭଲ କହୁ କିନ୍ତୁ କୃଷିରେ ଆମିଶାଷୀ କୀଟମାନଙ୍କୁ କୃଷକ ବନ୍ଧୁ କୁହାଯାଏ କାରଣ ଏମାନଙ୍କ ଯୋଗୁଁ ଫସଲ ବେଶୀ ନଷ୍ଟ ହୁଏ ନାହିଁ l ତେଣୁ ଆମର କୃଷି ବ୍ୟବସ୍ଥାରେ ଆର୍ଥିକ ଦୋୖହଳି ସୀମା ର ସୁନ୍ଦର ବ୍ୟବସ୍ଥା ରହିଛି l ଗୋଟିଏ ବର୍ଗ ମିଟର ଭିତରେ କେତେ ପରିମାଣରେ ଅପକାରୀ କୀଟ ରହିଲେ ଆମେ ଚିନ୍ତା କରିବା ଉଚିତ ତାହା ହେଲା ଏହି ଆର୍ଥିକ ଦୋୖହଳି ସୀମା (ETL- Economic Threshold Limit) l ଯଦି ETL ଭିତରେ କୌଣସି ଅପକାରୀ କୀଟ ବା ଜୀବାଣୁ ଥାଏ ତାହାଲେ ପ୍ରକୃତି ହିଁ ତାର ସୁନ୍ଦର ସମାଧାନ କିଛି ସମୟ ମଧ୍ୟରେ କରିଦିଏ l କୌଣସି ରାସାୟନିକ ଔଷଧ ସିଞ୍ଚନ କରିବାକୁ କୃଷକକୁ ପଡ଼େ ନାହିଁ l
ଗୋଟିଏ ଜିଆ ବା କେଚୁଆ ବର୍ଷକୁ 50, 000ରୁ 60, 000 ଅଣ୍ଡା ଦେଇ ଛୁଆ କରାଇଥାଏ l ଜିଆ ଗୋଟିଏ ବାଟରେ ମାଟି ଭିତରେ ପଶିଲେ ଆଉ ଗୋଟିଏ ବାଟରେ ବାହାରିଥାଏ ତେଣୁ ମାଟିର ଉପର ସ୍ତରରେ ଦୁଇଟି କଣା ହୋଇଥାଏ l ଏହି କଣା ବାଟେ ବର୍ଷାଜଳ ମାଟିର ଖୁବ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ଭୂତଳ ଜଳକୁ ରିଚାର୍ଜ କରିଥାଏ l ଏହି ଜିଆ ଯୋଗୁଁ ଗଛର ଚେର ଖୁବ ଅମ୍ଳଜାନ ପାଇ ଶ୍ୱାସକ୍ରିୟା କରିବା ସହଜ ହୋଇଥାଏ ଏବଂ ମାଟି ହାଲୁକା ବା ଫଷଫସିଆ ହୋଇଥାଏ l ଜିଆର ମଳ ଗଛକୁ ସାର ଯୋଗାଇଥାଏ l କିନ୍ତୁ ରାସାୟନିକ ସାର, ଔଷଧ ଓ ତୃଣମାରୀ ଔଷଧ ସିଞ୍ଚନ ଦ୍ୱାରା ଏହି ଉପକାରୀ ଜୀବ ନଷ୍ଟ ହେଇଯାଏ l
ସାପ ମଧ୍ୟ କୃଷକର ଉତ୍ତମ ବନ୍ଧୁ l ଯେତେବେଳେ ମୂଷାମାନଙ୍କର ପ୍ରାଦୁର୍ଭାବ ବଢ଼ିଯାଏ ସେତେବେଳେ ସାପ ହିଁ ମୂଷାମାନଙ୍କ ସଂଖ୍ୟାକୁ ଖାଇ କମ କରି କୃଷକର କ୍ଷତିକୁ ରୋକିଥାଏ l କିନ୍ତୁ ରାସାୟନିକ ଜିନିଷର ପ୍ରୟୋଗ ଦ୍ୱାରା ଏହି ଉପକାରୀ ସାପମାନେ ମୂଷାମାନଙ୍କ ଅପେକ୍ଷା ଶୀଘ୍ର ଶେଷ ହେଇଯାଆନ୍ତି l
ଆକାଶରେ ଉଡ଼ିବୁଲିଯାଉଥିବା ପକ୍ଷୀମାନଙ୍କ ଭଲ ଖାଦ୍ୟ ହେଲା ଫସଲ ଉପରେ ବା ଫସଲ ମାଟିରେ ଦେଖାଯାଉଥିବା କ୍ଷତିକାରକ କୀଟ l ଏହି ପକ୍ଷୀ ସବୁ କୃଷକର ସତରେ ଉତ୍ତମ ବନ୍ଧୁ ଅଟନ୍ତି ହେଲେ ରାସାୟନିକ ଔଷଧ ଏମାନଙ୍କ ପାଇଁ ମଧ୍ୟ କାଳ ହୋଇଥାଏ l
ବୁଢ଼ିଆଣୀ ଜାଲ ମଧ୍ୟ ଏକ ସୁରକ୍ଷା କବଚ ଅଟେ ଗଛ ପାଇଁ l ଗୋଟିଏ ବୁଢ଼ିଆଣୀ ଦିନକୁ 10 ରୁ ଅଧିକ ଅପକାରୀ କୀଟଙ୍କୁ ଖାଇ ବା ମାରି ସଫାକରିଦିଏ l ଏହିଭଳି ଭାବରେ ଅନେକ ଜୀବ ଚାଷୀର ନାନାଦି କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି l
ଯେଉଁ ଫସଲ ଉପରେ ପଞ୍ଚଗବ୍ୟର (ଗୋବର, ଗୋମୂତ୍ର, ଘିଅ, ଦହି ଓ କ୍ଷୀର) ପ୍ରୟୋଗ ହୋଇଥାଏ ସେଇଠିକାର ପରିବେଶ କୃଷକର ଉତ୍ତମ ବନ୍ଧୁମାନଙ୍କ ରହିବା ପାଇଁ ସୁନ୍ଦର ପରିବେଶ ସୃଷ୍ଟି ହୋଇଥାଏ l ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଗାଈ ବଳଦ ବା ଷଣ୍ଢ ମଧ୍ୟ ସେଠିକୁ ଚରିବା ପାଇଁ ଯାଆନ୍ତି ନାହିଁ l ତେଣୁ ଗୋମାତାଙ୍କ ପଞ୍ଚଗବ୍ୟ ବହୁଳ ବ୍ୟବହାର ହେବା ଉଚିତ l ଏହା ହର୍ମୋନର ମଧ୍ୟ କାର୍ଯ୍ୟ କରେ ଏବଂ ଗଛକୁ ହୃଷ୍ଟପୃଷ୍ଟ କରେ l
ତେଣୁ ଅହିଂସା ରାସ୍ତା ଦ୍ୱାରା କୌଣସି ଚାଷ ହେଇପାରିବ ଏହା ଆମର ଦୃଢ଼ ବିଶ୍ୱାସ ରହିବା ଉଚିତ l
*ଆଗାମୀ ପୋଷ୍ଟ ରେ ମାଟିକୁ ଓ ବିହନକୁ କେମିତି ବିଶୋଧନ କରାଯାଏ ଜୈବିକ ଉପାୟରେ ସେହି ବିଷୟରେ ଜାଣିବା l*
Comments
Post a Comment